
ଧରାପଡିଲା ବ୍ରାଉନ ସୁଗର୍ :ଥାନା କାଗଜରେ ବଦଳି ଗଲା ମଦ ଗଞ୍ଜେଇ !!
କଟକ,୨୩/୪(ସ୍ଵତନ୍ତ୍ର ପ୍ରତିନିଧି)କଟକ ଗ୍ରାମାଞ୍ଚଳ ଜିଲ୍ଲା ପୁଲିସ ଅନ୍ତର୍ଗତ,ନିଆଳି ଥାନା,କସରଦା ଫାଣ୍ଡି ଏରଞ୍ଚ ବଜାର ଉପରେ ଗତକାଲି ଧରାପଡ଼ିଥିବା କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଓ କିଛି ପରିମାଣର ଗଞ୍ଜେଇ ସହିତ ଗିରଫ ଆସାମୀଙ୍କୁ ଆଜି କୋର୍ଟ ଚାଲାଣ କରାଯାଇ ଥିବା ବେଳେ ପୁଲିସ ରେକର୍ଡରେ ବ୍ରାଉନ ସୂଗର ବଦଳି ଯାଇ ତାହା ୩୮ ଲିଟର ମଦରେ ପରିଣତ ହୋଇଯାଇଛି।ଯାହା ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।ତେବେ ଫାଣ୍ଡି ଅଧିକାରୀ ଶରତ ବେହେରା ବ୍ରାଉନ ସୁଗାର୍ ଧରିଥିବାକୁ ସ୍ବୀକାର କରିଥିବାର ଅଡିଓ ଏବେ ଭାଇରାଲ ହେବାରେ ଲାଗିଥିବା ଓ ଅଡିଓରେ ଥାନା ବଡ଼ବାବୁ ଏସ ପି କିମ୍ବା ଅନ୍ୟ ବଡ ଅଧିକାରୀଙ୍କ ସହ ଆଲୋଚନା କରି ତାଙ୍କ ପରାମର୍ଶରେ ବ୍ରାଉନ ସୁଗରକୁ ମଦ କରିଦେଇଥିବା ଏବେ ସାଧାରଣରେ ପ୍ରବଳ ହାସ୍ୟରୋଲ ସୃଷ୍ଟି କରିଛି। ପ୍ରାପ୍ତ ସୂଚନା ମୁତାବକ ଏକ ପଞ୍ଚାୟତର ଜଣେ ମହିଳା ଲୋକ ପ୍ରତିନିଧିଙ୍କ ଛତ୍ର ଛାୟା ତଳେ ଦୀର୍ଘ ବର୍ଷରୁ ଚାଲି ଆସୁଥିବା ଉତ୍କଟ ନିଶା କାରବାରର ମୁଖ୍ୟ କୁହାଯାଉଥିବା ପତ୍ରକଣା ଗ୍ରାମର ମା ଧ ବ ମହାନ୍ତି ପିତା ରମେଶ ଚନ୍ଦ୍ର ମହାନ୍ତି ଗତକାଲି ସନ୍ଧ୍ୟାବେଳେ ଏରଂଚ ବଜାରରେ ବିପୁଳ ପରିମାଣର ବ୍ରାଉନ ସୁଗର ସହିତ ଗଞ୍ଜେଇ ବିକ୍ରିବଟା କରୁଥିବାବେଳେ ତାଙ୍କୁ ଏରଞ୍ଚର ବିଶ୍ବମ୍ବର ସେନାପତି ଓ ଆଉ କେତେକ ଅଞ୍ଚଳବାସି ଧରି କସରଦା ଫାଣ୍ଡି ପୁଲିସ ଜିମା ଦେଇଥିଲେ। ଫାଣ୍ଡି ଅଧିକାରୀ ଶରତ ବେହେରା ଲୋକଙ୍କ ସମ୍ମୁଖରେ ମାଧବଙ୍କ ଠାରୁ ୪ପ୍ୟାକେଟ ବ୍ରା ବ୍ରାଉନ ଶୁଗାର ଓ ଗଞ୍ଜେଇ ଜବତ କରିଥିଲେ।ଅଟକ ନିଶା ବେପାରୀ ମାଧବଙ୍କୁ ନିଆଳି ଥାନାକୁ ସ୍ଥାନାନ୍ତର କରାଯାଇ ଥିଲା।ତେବେ ଆଜି ନିଆଳି ଗ୍ରାମାଞ୍ଚଳ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଙ୍କ କୋର୍ଟକୁ ହାଜର କରାଯିବା ବେଳକୁ ଜବତ ବ୍ରାଉନ ଶୁଗର କାଗଜ ପତ୍ରରେ କେବଳ ୩୮ ଲିଟର ମଦକୁ ବଦଳି ଯାଇଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା।ଘଟଣା ଚାପିବାକୁ ଉଦ୍ୟମ ବିଫଳ ହୋଇ ଥିବାରୁ ଶ୍ରୀ ବିଶ୍ବମ୍ବର ସେନାପତିଙ୍କୁ ମିଛ କେସରେ ଫସାଇବାକୁ ଧମକ ଦିଆଯାଉଥିବା ବେଳେ,ପୁଲିସର ଏହି ସନ୍ଦେହ ଜନକ କାର୍ଯ୍ୟ ବିରୁଦ୍ଧରେ ଆସନ୍ତା କାଲି ପୂର୍ବାହ୍ନରେ ଫାଣ୍ଡି ସମ୍ମୁଖରେ ଆନ୍ଦୋଳନର ଆୟୋଜନ ଚାଲିଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି।ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଘଟଣାକୁ ଗୁରୁତ୍ବ ଦେବାକୁ ଓ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି।