
ବଡ଼ମେଡ଼ିକାଲ ଭିତରୁ କର୍ମଚାରୀଙ୍କ ଦ୍ଵାରା ଶିଶୁ ଚୋରୀ! ସରକାରଙ୍କ ପାଖରେ ଖବର ନାହିଁ ???


କଟକ,୦୫/୦୪(ବ୍ୟୁରୋ) ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ କେବଳ ରାଜ୍ୟର ନୁହେଁ, ବରଂ ଦେଶର ଏକ ପ୍ରମୁଖ ଚିକିତ୍ସା ଅନୁଷ୍ଠାନ।ମହାରାଜାଙ୍କ ଦାନ ଅବଦାନ ଯୋଗୁ ଲକ୍ଷ ଲକ୍ଷ ଦୁଃସ୍ଥ ପୀଡ଼ିତ ସୁସ୍ଥ ତଥା ଚିକିତ୍ସା ସୁବିଧା ପାଉଛନ୍ତି।ବିଭିନ୍ନ ସରକାର ମାନେ ଦଳ ମତ ବିଚାର ନ କରି କୋଟି ଟଙ୍କାର ଅନୁଦାନ ରାଶି ଯୋଗାଉ ଛନ୍ତି ।ଏହି ଅନୁଷ୍ଠାନ ପରିସରରେ ଜନ ଗହଳି ଲାଗି ରହୁଥିବାରୁ ବହୁ ଅସାମାଜିକ ଓ ଅପରାଧୀଙ୍କ ଭିଡ଼ ବି ରହିବା ଏକ ସାଧାରଣ କଥା।ଯାହାକୁ ନିୟନ୍ତ୍ରଣ କରିବାକୁ ଗୃହ ବିଭାଗ ଅଧୀନରେ ଥିବା ମଙ୍ଗଳାବାଗ ଥାନା ଦାୟିତ୍ବରେ ଥିବା ବେଳେ ଉକ୍ତ ଥାନା ଅଧୀନରେ, ବଡ଼ମେଡ଼ିକାଲ ପରିସରରେ ଏକ ସ୍ବତନ୍ତ୍ର ଫାଣ୍ଡି ବି ରହିଛି। ତଥାପି ଏହା ସତ୍ତ୍ବେ ରୋଗୀ ଓ ରୋଗୀ ଅଭିଭାବକ ମାନଙ୍କ ବିଭିନ୍ନ ସାମଗ୍ରୀ ମୋବାଇଲ ,ଟଙ୍କା,ଓ ଯାନ ବାହନ ଆଦି ଚୋରୀର ଅଭିଯୋଗ ହୋଇଥାଏ।ବେଳେ ବେଳେ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ବି ଏପରି ଅପରାଧରେ ଜଡ଼ିତ ଥିବାର ଅଭିଯୋଗ ସାମ୍ନାକୁ ଆସିଥାଏ।କେତେକ ସ୍ଥଳରେ ସି ସି ଟିଭି ଖଞ୍ଜା ଯାଇଛି,ହେଲେ କଥାରେ ଅଛି ପୁଲିସ ଯେତେ ସିଆଣା ,ଚୋର ବି ତହିଁରୁ ବଳି ସିଆଣା । ବାଡ ଯେବେ ଫସଲ ଖାଇବ ତେବେେ ତାକୁ ଜଗିବ କିଏ??
ବଡ଼ମେଡ଼ିକାଲରେ ନିୟୋଜିତ କର୍ମଚାରୀ ଯଦି ଚୋରୀ କରିବେ ତେବେ ତାଙ୍କୁ ଧରିବ କିଏ?ତାହା ପୁଣି ଜଣେ ଅବୋଧ ସଦ୍ୟଜନ୍ମ ଶିଶୁ।ଅବଶ୍ୟ ଏପରି ଘଟଣା କଟକ ବଡ଼ ମେଡ଼ିକାଲରେ କିଛି ନୂଆ କଥା ନୁହେଁ କିମ୍ବା ପ୍ରଥମ ଘଟଣା ନୁହେଁ।ହେଲେ ଘଟଣା ସମ୍ପର୍କରେ ସରକାର,ପ୍ରଶାସନ କିମ୍ବା ବଡମେଡ଼ିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଏ ଯାବତ୍ ଖବର ନ ଥିବା ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଚିହ୍ନ ଆଙ୍କି ଦେଇଛି। ଅବଶ୍ୟ ଏବେ କଥାଟି ପ୍ରଘଟ ହେବା ପରେ ସରକାର ଯେ ପଦକ୍ଷେପ ନ ନେବେ କିମ୍ବା ତଦନ୍ତ ଆଦେଶ ନ ଦେବେ ତାହାନୁହେ।କିନ୍ତୁ ଅସଲ କଥା ଉଠୁଛି ଏତେ ବଡ ଅନୁଷ୍ଠାନର ସୁରକ୍ଷା ବ୍ୟବସ୍ଥା କେତେ ଢିଲା!! ତାହାହେଲେ ସନ୍ତ୍ରାସବାଦୀ ଆକ୍ରମଣ ଘଟଣାର ଗୁଇନ୍ଦା ବ୍ୟବସ୍ଥା ଫେଲ କୁ ଦୋଷ ଦେଇହେବ କିପରି?ଘଟଣାଟି ଏକ ଯାତ୍ରା ରଙ୍ଗମଞ୍ଚରେ ପରିବେଷିତ କାହାଣୀ ପରି।ଗୋଟିଏ ଯୁବତୀଙ୍କୁ ଦୈହିକ ବାସନାରେ ଭଲ ପାଉଥିବାର ମିଛ ଅଭିନୟ କରୁଥିବା ଯୁବକ ଜଣଙ୍କ ସାମାଜିକ ଭୟରୁ ବିବାହ ନିମନ୍ତେ ସାହାସ କୁଳେଇ ପାରିଲେନି।ହେଲେ ଯୁବତୀ ଜଣଙ୍କ ସେତେବେଳକୁ ୮ ମାସରୁ ଊର୍ଦ୍ଧ୍ବ ଗର୍ଭବତୀ।କଣ କରାଯିବ?ବାଧ୍ୟ ହୋଇ ନିକଟ ସମ୍ପର୍କୀୟ ମାନେ ଶେଷ ମୁହୂର୍ତ୍ତରେ କଟକ ବଡ଼ ମେଡ଼ିକାଲକୁ ଆଣିଲେ।ଯୁବତୀ ଜଣଙ୍କ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଲେ।ହଠାତ୍ ଜନ୍ମଦାତ୍ରୀ ମାତା ସମେତ ମେଡିକାଲ ଆଣିଥିବା ଲୋକେ ଫେରାର ହୋଇଗଲେ।ଏମିତି ଅବସ୍ଥାରେ ଆଇନ ଅନୁଯାଇ ଅନାଥ ଶିଶୁଟିର ଲାଳନ ପାଳନ ବିଧି ବ୍ୟବସ୍ଥା ହେବା କଥା। ମାତ୍ର ନିଜର ସନ୍ତାନ ସନ୍ତତି ନ ଥିବା ,ବଡ଼ମେଡ଼ିକାଲର ଜଣେ ବେହେରା ଶିଶୁଟିକୁ ରାତାରାତି ଧରି ଚଂପଟ। ତାଙ୍କ ନାମ ଅରୁଣ ପ୍ରଧାନ,ଘର କଟକ ଜିଲ୍ଲା,କନ୍ଦରପୂର ଥାନା,କମରପଦା ଗ୍ରାମରେ।ଏବେ ଗ୍ରାମ ଭିତରୁ ନିକଟସ୍ଥ ତାଳଦଣ୍ଡା କେନାଲ ବନ୍ଧକୁ ଲାଗିଥିବା ଜାଗାରେ ଘରକରି ଉଠି ଆସି ରହିଛନ୍ତି।ସବୁଠାରୁ ବଡ଼ ଉଦବେଗର କାରଣ ଯେ,ଶିଶୁଟି ଭିନ୍ନକ୍ଷମ,ମାତୃ ସ୍ଥନ୍ୟପାନ ଓ ଉପଯୁକ୍ତ ଯତ୍ନ ଅଭାବରୁ ଭିନ୍ନକ୍ଷମ କିମ୍ବା ଜନ୍ମରୁ ଭିନ୍ନକ୍ଷମ ତାହା ତ ଡାକ୍ତରଙ୍କ ପରୀକ୍ଷା ନିରୀକ୍ଷା ପରେ ସ୍ପଷ୍ଟ ହେବ।ତେବେ ତୁରନ୍ତ ଶିଶୁଟିକୁ ଉଦ୍ଧାର କରି ଚିକିତ୍ସା ସୁବିଧା ଯୋଗାଇ ନ ଦେଲେ ଜୀବନ ବିପନ ହେବାକୁ ଯାଉଛି।ସୂଚନା ଅନୁଯାୟୀ, କୌଣସି ଜଣେ ମାତା ଶିଶୁଟିକୁ ଜନ୍ମ ଦେବା ପରେ ଦାୟିତ୍ବରେ ଥିବା ସେବିକାଙ୍କୁ ହାତକରି ଚୋରାଇ ନିଆଯାଇଛି ,ପରେ ପ୍ରକୃତ ଜନ୍ମ ଦାତ୍ରୀଙ୍କୁ ମିଛ କହି ଭୂତେଇ ଦିଆଯାଇଛି।ଅସୁସ୍ଥ ଶିଶୁଟି ଏବେ କୁଆଡେ ଜୀବନ ସହ ସଂଗ୍ରାମ କରୁଛି।ଘଟଣାକୁ ୪/୫ ବର୍ଷ ହେଲାଣି ହେଲେ ରାଜ୍ୟର କୌଣସି ଶିଶୁ ପ୍ରେମୀଙ୍କ ନିଦ ଏଯାଏ ଭାଙ୍ଗୁନି !! ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଘଟଣାର ସତ୍ୟାସତ୍ୟ ସ୍ପଷ୍ଟ ହେବା।ରାଜ୍ୟ ମାନବାଧିକାର କମିଶନ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଦୃଷ୍ଟିପାତ କରିବାକୁ ଦାବୀ ହେଉଛି।