
ଐତିହାସିକ ଗୋବିନ୍ଦପୁର ଥାନାର ପ୍ରଥମ ଓ ନୂତନ ଥାନା ନିରୀକ୍ଷକ

ଗୋବିନ୍ଦପୁର ଥାନା,ଏକ ସୁ ଦୀର୍ଘ ଇତିହାସର ମଜଭୁତ ଦସ୍ତାବିଜ୍।ସେଦିନ ରାସ୍ତା ଘାଟ ନ ଥିବା ଓ ଜଳ ପଥ ଏକମାତ୍ର ଅବଲମ୍ବନ ଥିବା,ବଣ ଜଙ୍ଗଲ ପୂର୍ଣ୍ଣ ଅଞ୍ଚଳରେ ଚୋର,ଡ଼ାକୁ ଓ ମଣିଷମାରୁ ମାନଙ୍କ ଉତ୍ପାତ ସାଙ୍ଗକୁ ଗୋବିନ୍ଦପୁର ମାଟିରେ ସ୍ଵାଧୀନତା ଆନ୍ଦୋଳନର ଯେଉଁ ଅନିର୍ବାଣ ଓ ଲେଲିହାନ ଶିଖା ତେଜି ଉଠିଥିଲା ବ୍ରିଟିଶ ଶାସକ ମାନଙ୍କୁ ତାହା ଏକ ପ୍ରକାର ବିଚଳିତ ଓ ବାଧ୍ୟ କରିଥିଲା ଏକ ଥାନା ସ୍ଥାପନ ନିମନ୍ତେ।୧୮୫୭ ପାଇକ ମାନଙ୍କ ବିଦ୍ରୋହ ପରେ ବ୍ରିଟିଶ ହାଉସ ଅଫ କମନ୍ସର ନିର୍ଦ୍ଦେଶ କ୍ରମେ ଭାରତରେ ଶାସନ ଓ ନ୍ୟାୟ ବ୍ୟବସ୍ଥାର ତୃଟି ତର୍ଜମା ନିମନ୍ତେ ତଦନ୍ତ କମିଶନ ଗଠିତ ହୋଇଥିଲା କମିଶନଙ୍କ ସୁପାରିଶ ଆଧାରରେ ପୋଲିସ ଆକ୍ଟ V 1861 ଅନୁଯାୟୀ ୧୮୬୨ ମସିହାରେ ଓଡ଼ିଶାର ଅନ୍ୟ କେତେକ ଥାନା ସହ ଗୋବିନ୍ଦପୁର ଥାନା ସ୍ଥାପିତ ହୋଇଥିଲା ଗୋରା ପୁଲିସ ଫଉଜ ନଦୀ ପଥରେ ଥାନାକୁ ଆସୁଥିଲେ ଓ କାନ୍ଧରେ ବନ୍ଧୁକ ପକାଇ ଘୋଡ଼ା ସବାରରେ ଥାନାରୁ ବିଭିନ୍ନ ଅଞ୍ଚଳକୁ ଯାତାୟାତ କରୁଥିଲେ।୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାପରେ ଓଡ଼ିଶା ପୁଲିସ ଗଠନ ହେଲା ଓ Mr EAO Perkin ଓଡ଼ିଶା ପୁଲିସର ପ୍ରଥମ ଆଇ.ଜି ହୋଇ ଥିଲେ।୧୯୩୭ ମସିହାରେ ପ୍ରଥମ ସାଧାରଣ ନିର୍ବାଚନ ହୋଇଥିଲା।ଓଡ଼ିଶା ପୁଲିସ ଅଧୀନକୁ ଗୋବିନ୍ଦପୁର ଥାନା ୧୯୩୭ ମସିହାରେ ଆସିଥିଲା।ସେତେବେଳେ ଆଜିକାର ନିଆଳି,ଓ ଓଲଟପୁର ଥାନା ଅଞ୍ଚଳ ଗୋବିନ୍ଦପୁର ଥାନା ଅଧୀନରେ ଥିଲା। ତେବେ ଗୋବିନ୍ଦପୁର ଥାନା ଅଧୀନରେ ୧୪ ଟି ପଞ୍ଚାୟତ ଥିବା ବେଳେ ଏହାର ଥାନା ଅଧିକାରୀ ସବ ଇନସ୍ପକ୍ଟର ସ୍ତରୀୟ ଥିଲେ।ଫଳରେ ବହୁ ସଙ୍ଗୀନ ମାମଲାର ତଦନ୍ତ କ୍ଷମତା ନ ଥିଲା। ଏହାର ବହୁ ପଛରେ ସ୍ଥାପିତ ନିଆଳି ଇନସ୍ପେକ୍ଟର ସ୍ତରୀୟ ହୋଇଥିବା ବେଳେ ୨୮ ଫେବୃଆରୀ ୨୦୦୯ ମସିହାରେ ମାତ୍ର ୩ଟି ପଞ୍ଚାୟତକୁ ନେଇ ଗଠିତ ଓଲଟପୁର ଥାନା ଆରମ୍ଭରୁ ଇନସ୍ପେକ୍ଟର ସ୍ତରୀୟ ହୋଇଛି।ଫଳରେ ବ୍ରିଟିଶ ଅମଳର ଏହି ଗୋବିନ୍ଦପୁର ଥାନା ପ୍ରତି ରାଜନୈତିକ ପ୍ରଶାସନିକ ଅବହେଳାକୁ ବିଭିନ୍ନ ସମୟରେ ଦାୟୀ କରାଯାଇ ଆସୁଥିଲା।
ସରକାରଙ୍କ ନିଷ୍ପତି ଓ ବର୍ତ୍ତମାନର ଦକ୍ଷ,କାର୍ଯ୍ୟରତ ଗ୍ରାମାଞ୍ଚଳ ଏସ.ପି ଶ୍ରୀଯୁକ୍ତ ଯୁଗଳ କିଶୋର ବନୋଟ ,ଆଇ.ପି.ଏସ ଙ୍କ କାର୍ଯ୍ୟକାଳ ଭିତରେ ଇତିହାସର ସେଇ ପୁରୁଣା ପୃଷ୍ଠା ସହ ଯୋଡ଼ିହୋଇଛି ଆଉ ଏକ ନୂଆ ଫର୍ଦ୍ଦ।ଗୋବିନ୍ଦପୁର ଥାନାରେ ପ୍ରଥମ କରି ଆଜି ପୂର୍ବାହ୍ନରେ ଥାନାର ଭାରପ୍ରାପ୍ତ ନିରୀକ୍ଷକ ଭାବେ ଅବସ୍ଥାପିତ ହୋଇଛନ୍ତି ଜଣେ ନୂତନ ଓ ଅଭିଜ୍ଞ ପୁଲିସ ଅଧିକାରୀ ଅନାମ ଚରଣ ନାୟକ। ଗତକାଲି ସେ ଗ୍ରାମାଞ୍ଚଳ ଏସ.ପି ଙ୍କୁ ନିଜର ନିଯୁକ୍ତି ଦାଖଲ କରିବା ପରେ ଆଜି ଗୋବିନ୍ଦପୁର ଥାନାରେ କାର୍ଯ୍ୟଭାର ଗ୍ରହଣ କରିଥଲେ।ହାତୀ ସୁନା କଳସ ଢାଳିବା ପରି ଶ୍ରୀ ନାୟକ ଓଲଟପୁର ଥାନାରେ ଜଣେ ବରିଷ୍ଠ ସବ ଇନସପେକ୍ଟର ଭାବେ କାର୍ଯ୍ୟରତ ଥାଇ ଗତ ୨୯.୪.୨୦୨୧ରେ ଇନସ୍ପେକ୍ଟର ପଦବୀକୁ ଉନ୍ନୀତ ହୋଇଛନ୍ତି।୧୭.୬ ୧୯୬୫ରେ କେନ୍ଦୁଝର ଜିଲ୍ଲା,ତୁରୁମୁଙ୍ଗ ଥାନା,ବନମାଳୀପୁର ଗ୍ରାମର ସ୍ୱର୍ଗତଃ ଭ୍ରମରବର ନାୟକ ଓ ମୋତି ଦେବୀଙ୍କ କୋଳ ମଣ୍ଡନ କରିଥିବା ଏହି ପୁଲିସ ଅଧିକାରୀ ୨୭.୮.୧୯୮୯ ମସିହାରେ ପୋଲିସ ଚାକିରୀରେ ଯୋଗ ଦେଇଥିଲେ।୩୦.୬.୨୦୨୫ରେ ତାଙ୍କର ଅବସର। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ଥାନାରେ ବିଭାଗୀୟ ଶୃଙ୍ଖଳା ଓ ଆଇନ କାନୁନର ଗଣ୍ଡି ଭିତରେ ରହି ଲୋକ ମାନଙ୍କୁ ନ୍ୟାୟ ପ୍ରଦାନ କରି ଆସିଛନ୍ତି।ତେଣୁ ତାଙ୍କର ପ୍ରଥମ ଥାନା ନିରୀକ୍ଷକ ଭାବେ ଗୋବିନ୍ଦପୁର ଥାନାରେ ସହକର୍ମୀ ମାନଙ୍କ ସହିତ ଉପଯୁକ୍ତ ସମନ୍ୱୟ ରକ୍ଷାକରି ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ କରିବେ ବୋଲି ସ୍ଥାନୀୟ ଜନସାଧାରଣ ଆଶା ପୋଷଣ କରିଛନ୍ତି।ବିଭିନ୍ନ ମହଲରୁ ତାଙ୍କୁ ଉଛୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ତାଙ୍କ କାର୍ଯ୍ୟକାଳ ଏଠାରେ ଅନୁକରଣୀୟ ହେବାର ବିଶ୍ୱାସ ରଖାଯାଇଛି।

