କର୍ଣ୍ଣାଟକରେ ହୋଇପାରେ ରାଷ୍ଟ୍ରପତି ଶାସନ : ସରକାର ଗଠନ ନେଇ ଅନିଶ୍ଚିତତା, ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା

ନୂଆଦିଲ୍ଲୀ : କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟର ସରକାର ପତନର ତିନି ଦିନ ବିତି ଯାଇଥିଲେ ମଧ୍ୟ ସରକାର ଗଠନକୁ ନେଇ ଅନିଶ୍ଚିତତା ଲାଗି ରହିଛି। ତେବେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ବାଚସ୍ପତି କେ.ଆର୍. ରମେଶ କୁମାର ୩ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରେ ସ୍ବାଧୀନ ବିଧାୟକ ଆର୍ ଶଙ୍କର ମଧ୍ୟ ସାମିଲ ଅଛନ୍ତି। ସେ ସରକାରରେ ନିଗମ ପ୍ରଶାସନ ମନ୍ତ୍ରୀ ଥିଲେ। ଅଯୋଗ୍ୟ ଘୋଷିତ ଅନ୍ୟ ଦୁଇ ଜଣ ବିଧାୟକ ହେଲେ କଂଗ୍ରେସର ରମେଶ ଜାର୍କିହୋଲି ଏବଂ ମହେଶ କୁମାତଲ୍ଲୀ। ଏହି ତିନି ବିଧାୟକଙ୍କୁ ଦଳ ବଦଳ ଆଇନ ଆଧାରରେ ଅଯୋଗ୍ୟ ଘୋଷଣା କରାଯାଇଥିବା ବାଚସ୍ପତି କହିଛନ୍ତି। ଏହି ତିନି ଜଣଙ୍କ ସମେତ ୧୭ ଜଣ ବିଧାୟକଙ୍କ ବିଦ୍ରୋହ ଯୋଗୁଁ ମେଣ୍ଟ ସରକାରର ପତନ ଘଟିଥିଲା।
ବାଚସ୍ପତି କହିଛନ୍ତି ଯେ ଆର ଶଙ୍କର ସ୍ବାଧୀନ ବିଧାୟକ ନଥିଲେ। େସ କେପିଜେପି ଟିକଟରେ ନିର୍ବାଚନ ଲଢ଼ିଥିଲେ। ତେବେ ସେ ତାଙ୍କର ପାର୍ଟିକୁ କଂଗ୍ରେସରେ ମିଶାଇ ଦେଇଥିଲେ। ଏସଂପର୍କରେ ତାଙ୍କର ଅନୁରୋଧକୁ ଗ୍ରହଣ କରି ଶଙ୍କରଙ୍କୁ କଂଗ୍ରେସ ବିଧାୟକ ଭାବେ ସ୍ବୀକୃତି ଦିଆଯାଇଥିଲା। କଂଗ୍ରେସରେ ଥାଇ ସେ ବିଜେପିକୁ ସମର୍ଥନ କରିବା ଲାଗି ଘୋଷଣା କରିଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଅଯୋଗ୍ୟ ଘୋଷିତ ଏହି ତିନି ବିଧାୟକ ଚଳିତ ବିଧାନସଭା କାର୍ଯ୍ୟକାଳ ମଧ୍ୟେର ନିର୍ବାଚନ ଲଢ଼ିପାରିବେ ନାହିଁ। ବିଧାନସଭା କାର୍ଯ୍ୟକାଳ ୨୦୨୩ରେ ସରିବ। ଅନ୍ୟ ବିଧାୟକମାନଙ୍କ ସପଂର୍କରେ ସେ ଆଇନ ଅନୁଯାୟୀ ନିଷ୍ପତ୍ତି ନେବେ ବୋଲି ବାଚସ୍ପତି କହିଛନ୍ତି।