
ସରକାରୀ ସ୍କୁଲ୍ ହତା ରୁ ବହୁ ମୂଲ୍ୟ ଜୀବନ୍ତ ଲିମ୍ୱ ଗଛ କାଟିନେଲେ!




କଣ୍ଟାପଡ଼ା,୦୩।୦୩,(ନି.ପ୍ର) ଶାନ୍ତିର ତପୋବନ,ସତ୍ୟବାଦୀ ବନ ବିଦ୍ୟାଳୟର ଭ୍ରମ ସୃଷ୍ଟି କରୁଥିବା,ବହୁ ପୁରାତନ ତଥା ଆଜିର ସରକାରୀ ହାଇସ୍କୁଲରେ ପରିଣତ ହୋଇଥିବା,ଏକ ଆଦର୍ଶ ଶିକ୍ଷାନୁଷ୍ଠାନ,କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ସାଇଲୋ ଝାରପଡ଼ା ହାଇସ୍କୁଲ ପରିସରରେ ଥିବା ୫୦ ବର୍ଷର ପୁରୁଣା,ଜୀବନ୍ତ ଲିମ୍ବ ଗଛକୁ କାଠ ମାଫିଆଙ୍କ ହାତରେ କାଟି ବିଦ୍ୟାଳୟ କର୍ତ୍ତୃପକ୍ଷ ସମର୍ପି ଦେଇଥିବା ସ୍ଥାନୀୟ ଅଞ୍ଚଳବାସି,ପରିବେଶ ପ୍ରେମୀଙ୍କ ମନରେ ଖୁବ୍ ଆଘାତ ଦେଇଛି।ବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ସଫେଇ ସାଧାରଣରେ ଗ୍ରହଣଯୋଗ୍ୟ ହୋଇପାରିନାହିଁ।ସବୁଠାରୁ ବଡ଼ ବିସ୍ମୟର କଥା ଯେ,ଗଛଟିକୁ କାଟିବା ଆଗରୁ ସାଧାରଣ ସୌଜନ୍ୟତା ବି ରକ୍ଷା କରାଯାଇ ନାହିଁ।ଏମିତିକି ସରକାରଙ୍କ ପରିବେଶ ବିଭାଗର ବିନା ମଞ୍ଜୁରୀରେ,ଜଙ୍ଗଲ ବିଭାଗର ବିନା ଅନୁମୋଦନରେ ଲିମ୍ବପରି ଏକ ନିଷିଦ୍ଧ ଗଛକୁ କିପରି କଟାଗଲା ?କିଏ ଏଥିପାଇଁ ଅନୁମୋଦନ ଦେଲେ ?ତାହା ରହସ୍ୟାବୃତ୍ତ ହୋଇ ରହିଛି।ଶିକ୍ଷକ ମାନେ ପିଲାମାନଙ୍କୁ ପରିବେଶ ଓ ବୃକ୍ଷ ରୋପଣ ଉପରେ ଖୁବ୍ ସାର ଗର୍ଭକ ପରାମର୍ଶ ମାନ ଭାଷଣ ଆକାରରେ ଦେଉଥିବା ସତ୍ତ୍ବେ,ବିନା ଯଥାର୍ଥ କାରଣରେ ପତ୍ର,ଛାଲି,ଫୁଲ,କଢ,ଆଦି ଔଷଧୀୟ ପଦାର୍ଥ ଯୋଗାଉଥିବା ବିଦ୍ୟାଳୟ ପରିସରର ଏହି ଗଛ କାଟିବାକୁ ଅନୁମତି ଦେବା ଏକ ଅକ୍ଷମଣୀୟ ଦୋଷ ଭାବେ ସ୍ଥାନୀୟ ଲୋକେ ବିଚାର କରୁଛନ୍ତି।ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏଥିନେଇ ଜାଣି ବାକୁ ଖୋଜାଯାଇଥିଲେ ହେଁ,ସରକାରୀ କାର୍ଯ୍ୟ ଦିବସ ଓ ସମୟ ନିର୍ଘଣ୍ଟ ମଧ୍ୟରେ ସେ ମିଳି ନ ଥିଲେ।ଅନ୍ୟ ଜଣେ ସହକାରୀ ଶିକ୍ଷକ ମନୋରଞ୍ଜନ ଦାଶ ମିଳିଥିଲେ ତାଙ୍କୁ ପଚାରିବାରୁ ସେ କହିଥିଲେ ଯେ ଲିମ୍ବ ଗଛଟି ବହୁ ପୁରୁଣା ହୋଇଯାଇଥିଲା,କାଳେ ପବନରେ ପଡିଗଲେ ପ୍ରାଚୀର ଭାଙ୍ଗିଦେବ ,ତାହାକୁ କାଟି ସରକାର ଗୃହ ମରାମତି ଲାଗି ଦେଇଥିବା ୩ଲକ୍ଷ ଟଙ୍କାରେ ଏଠାରେ ଏକ ଗୃହ ନିର୍ମାଣ କରାଯିବ।ଗଛ କଟାଯିବାକୁ ପରିଚାଳନା କମିଟି ବୈଠକରେ ମାସେ ତଳେ କୁଆଡେ ପ୍ରସ୍ତାବ ଗୃହୀତ ହୋଇଥିଲା।

ଲିମ୍ଵ ଗଛ ଟିକୁ କାଟିବା ଆଗରୁ ୧) ବନ ବିଭାଗ କିମ୍ବା ପରିବେଶ ମଞ୍ଜୁରୀ ନିଆ ଯାଇଥିଲା କି ?
୨) ବିଦ୍ୟାଳୟର ୮ ମ ଶ୍ରେଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମିଲ ହେବାପରେ ନବମ ଓ ଦଶମ ଦୁଇ ଶ୍ରେଣୀର ଛାତ୍ର,ଛାତ୍ରୀ ସଂଖ୍ୟା ୪୧ ଓ ୪୭ ଅର୍ଥାତ୍ ମୋଟ ୮୭ ଜଣ । ୩) ୧୯୯୯ ମହାବାତ୍ୟା ପରେ ନାଲକୋ ପ୍ରଦତ୍ତ ଅନୁଦାନରେ ଦୁଇ ମହଲା ବିଶିଷ୍ଟ ୪ ଟି ଶ୍ରେଣୀ କକ୍ଷ ଓ ଗୋଟିଏ ଅଫିସ୍ ଗୃହ ରହିଛି।୩) ଏତଦ୍ ଭିନ୍ନ ସର୍ବ ଶିକ୍ଷା ଅଭିଯାନରେ ଅନ୍ୟ ଦୁଇ ବଖରା ଛାତ ଗୃହ ବି ନିର୍ମିତ ହୋଇଛି। ୪) ଏ ସବୁ ଗୃହ ବ୍ୟତୀତ ଆଉ ୫ ଲକ୍ଷ ଟଙ୍କାରେ ଅନ୍ୟ ଦୁଇ ବଖରା ଶ୍ରେଣୀ କକ୍ଷ ବି ନିର୍ମିତ ହୋଇଛି ଯହିଁରେ ଠିକାଦାର ବଦଳରେ ପିଲାଏ ପାଣି ଦେଉଥିବା ଖବର ଉପରେ ମାନବାଧିକାର କମିଶନ ଅଧ୍ୟକ୍ଷ ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ବୀର କିଶୋର ମିଶ୍ର ନିଜ ଆଡୁ ମାମଲା ରୁଜୁ କରି କୈଫିୟତ ତଲବ କରିଥିଲେ।୫) ସରକାର ଦେଇଥିବା ମରାମତି ବା ବଦ ୩ ଲକ୍ଷ ଟଙ୍କାର ଅନୁଦାନ ରେ ପୁନଃ ଆଉ ଏକ ନୂଆ ଗୃହ ନିର୍ମାଣର ଆବଶ୍ୟକତା କଣ? ଏହିଘରେ ପଢିବାକୁ ପିଲାସଂଖ୍ୟା ଦୃଷ୍ଟିରୁ ପିଲା ଆସିବେ କେଉଁଠୁ?୬) କୌଣସି ପ୍ରସ୍ତାବ ଗୃହୀତ ହେବାର ପରବର୍ତ୍ତୀ ସାଧାରଣ ବୈଠକରେ ତାହା ବୈଧି କରଣ ହେଲେ ପ୍ରସ୍ତାବ ଟି କାର୍ଯ୍ୟକାରୀ ହେବାକଥା,ଏହି କ୍ଷେତ୍ର ରେ ତାହା ଅନୁସୃତ ହୋଇଛି କି?୭) ଗୃହ ନିର୍ମାଣ ଆଗରୁ ଲିମ୍ବ ଗଛଟିକୁ ନ କାଟି ,ବିଦ୍ୟାଳୟ ହତାରେ ଥିବା ଅନ୍ୟତ୍ର ଗୃହ ନିର୍ମାଣ ସ୍ଥାନ ରେ ତାହା କରା ଯିବା ଉଚିତ୍ ନ ଥିଲା କି? କେଉଁ ଯନ୍ତ୍ରୀ ଲି ମ୍ଵ ଗଛଟିକୁ କାଟିବାକୁ କହିଲେ ? ୮) ମରାମତି ଅର୍ଥକୁ ନୂଆ ଗୃହ ନିର୍ମାଣ ରେ ବ୍ୟୟ କରି ପୁନର୍ବାର ମରାମତି ନିମନ୍ତେ ଅନୁଦାନ ଆସି କେଉଁଠୁ?୯) ବିଦ୍ୟାଳୟର ପିଲା ସଂଖ୍ୟା କମୁ ଥିବା ବେଳେ, ଶ୍ରେଣୀ କକ୍ଷ ନୂଆ ନିର୍ମାଣର ଆଉ ଆବଶ୍ୟକତା କଣ ? ୯) ଜିଲ୍ଲା ଶିକ୍ଷାଧିକାରୀ, ଓ ପ୍ରଧାନଶିକ୍ଷକ ଙ୍କ ସମେତ ସଂପୃକ୍ତ ଯନ୍ତ୍ରୀଙ୍କୁ ପକ୍ଷ କରି ହାଇକୋର୍ଟରେ ମାମଲା ରୁଜୁ ନିଷ୍ପତ୍ତି ହୋଇଥିବାରୁ ଏଥିପାଇଁ ଉତ୍ତରଦାୟୀ କିଏ ହେ ବ ତାହା ଭାବିଚିନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ ବିଚାର କରନ୍ତୁ ବୋଲି ମତ ପ୍ରକାଶ ପାଇଛି। ଅନ୍ୟଥା ବେଳହୁଁ ସାବଧାନ ନ ହେଲେ ଫସିଯିବା କିଛି ବିଚିତ୍ର ନୁହେଁ।

