
ଲେଭେଲ କ୍ରସିଂ ରେ ଓଭର ବ୍ରିଜ କେବେ??
ରେଳ ଲାଇନର ଲେଭେଲକ୍ରସିଂଗୁଡିକରେ ଓଭରବ୍ରିଜ
କିମ୍ବା ଅଣ୍ଡରବ୍ରିଜ ନିର୍ମାଣ ହେଉ ନଥିବାରୁ ଜନସାଧାରଣ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।ବହୁମୂଲ୍ୟ ସମୟର ଅପଚୟ ଘଟୁଛି,ଫାଟକ ଜଗିବାରେ ନିଯୁକ୍ତ କର୍ମଚାରୀକଂ ପାଇଁ ରାଜକୋଷରୁ କୋଟିକୋଟି ଟଂକା ବି ବ୍ୟୟ ହେଉଛି । ଅଥଚ ରାଜ୍ୟ ସରକାରକଂ ଅସହଯୋଗରୁ ବର୍ଷ ବର୍ଷ ଧରି ଜନସ୍ୱାର୍ଥ ସମ୍ବଳିତ ଏହି ସମସ୍ୟାର ସମାଧାନ ହୋଇପାରୁ ନାହିଁ ।
ବିଷୟଟିର ଗୁରୁତ୍ୱ ଓ ପ୍ରାସଂଗିକତା ଦ୍ରୁଷ୍ଟିରୁ ପ୍ରଥମେ କିଛି କଥା ନିହାତି ଜାଣିବା ଦରକାର।୨୦୧୬-୧୭ ବର୍ଷରେ ଆମଦେଶରେ ୨୮୬୦୭ ଟି ରେଳ ଲେଭେଲ୍ କ୍ରସିଂ ଥିବା ବେଳେ,ଏଥିରୁ ୧୯,୨୬୭ ଟି ଫାଟକ ଜଗୁଆଳି ଓ ୯୩୪୦ଟିରେ ଜଗୁଆଳୀ ବିହୀନ ଥିଲା। ରେଳବିଭାଗ ୧୫୦୩ଟି ଜଗୁଆଳୀ ବିହୀନ ଫାଟକଉଛେଦ କରିସାରିଛି।ଯୁକ୍ତରାଷ୍ଟ୍ର ଆମେରିକାରେ ୬୦୦୦ଟି ଲେଭେଲକ୍ରସିଂ ରହିଛି।ରେଳଧାରଣାରେ ଆମଦେଶରେ ଥିବା ଲେଭେଲକ୍ରସିଂ ଜନିତ ତଥା ଟନେଲ,ନାଳ,ନଦୀ ଉପର ଦେଇ ଯାଇଥିବା ରେଳ ଲାଇନରେ ଦୁର୍ଘଟଣା ଜନିତ ମ୍ରୁତ୍ୟୁ ସଂଖ୍ୟା ଯଦି ହିସାବକୁ ନିଆଯାଏ ତେବେ ୨୦୧୫ ରେ ୧୩,୦୯୩ ଜଣ,୨୦୧୬ରେ ୧୩,୧୨୯ ଜଣ, ଓ ୨୦୧୭ରେ ୧୨,୬୬୧ ଜଣ ବୋଲି ରେଳବିଭାଗ ସୂତ୍ରରୁ ପ୍ରାପ୍ତ ତଥ୍ୟରୁ ଜଣାପଡିଛି ଏତେ ସଂଖ୍ୟକ ମୂଲ୍ୟବାନ ଜୀବନ ପ୍ରତିବର୍ଷ ହାନୀ ହେଉଥିଲେ ହେଁ ଜନସାଧାରଣରୁ କିମ୍ବା ନିର୍ବାଚିତ ଜନପ୍ରତିନିଧି ମାନକଂ ପକ୍ଷରୁ ସେପରି ଉଦବେଗ ପ୍ରକାଶ ନ ପାଇବା ଘୋର ପରିତାପର ବିଷୟ।
ଏହି ସମସ୍ୟାରୁ ମୁକ୍ତିପାଇବାକୁ ହେଲେ ଅଥବା ମ୍ରତ୍ୟୁ ସଂଖ୍ୟା ଯଥେଷ୍ଟ ଭାବେ କମ୍ କରିବାକୁ ହେଲେ,ବିକଳ୍ପ ସ୍ୱରୂପ ଆମକୁ ଲେଭେଲ କ୍ରସିଂ ଗୁଡିକ ସ୍ଥାନରେ ଓଭର ବ୍ରିଜ ଅଥବା ଅଣ୍ଡର ବ୍ରିଜ୍ ନିର୍ମାଣ ବ୍ୟବସ୍ଥା ଜରୁରୀ ଭାବରେ ଅପରିହାର୍ଯ୍ୟ ଅଟେ । ଯାହାଫଳରେ କେବଳ ଯେ ଜୀବନହାନି ସଂଖ୍ୟା ଆଶାତୀତ ଭାବେ କମିବ ତାହା ନୁହେଁ ବରଂ ବିଭାଗପକ୍ଷରୁ ପ୍ରତି ଲେଭେଲ କ୍ରସିଂରେ ୩ସିଫ୍ଟ(ସିଫ୍ଟ ପିଛା ଅନ୍ୟୁନ ୩ଜଣ,କର୍ମଚାରୀକଂ ୮ଘଣ୍ଟା ଲେଖାଁ)ରେଳବିଭାଗ ବହନ କରୁଥିବା ବ୍ୟୟଭାର ବି ଯଥେଷ୍ଟ କମିବ।ଜନସାଧାରଣକଂ ଲେଭେଲକ୍ରସିଂରେ ଘଣ୍ଟା ଘଣ୍ଟା ଧରି ନଷ୍ଟ ହେଉଥିବା ସମୟ ବି ବଂଚିବ।ବିଭାଗୀୟ ତଥ୍ୟ ଅନୁଯାୟୀ ଭୂବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ପୂର୍ବତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ଅଧୀନରେ ଓଡିଶା ସଂପୂର୍ଣ,ଆଂଶିକ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ରହିଛି।ଏହିସବୁ ରେଳପଥ ଉପରେ ମୋଟ୮୨୮ଟି ଲେଭେଲ କ୍ରସିଂ ରହିଛି। ଉକ୍ତ ୮୨୮ଟି ଲେଭେଲ କ୍ରସିଂ ମଧ୍ୟରୁ ସର୍ବାଧିକ ଓଡିଶାରେ ୫୫୯ ଟି , ଆନ୍ଧ୍ରପ୍ରଦେଶରେ ୨୨୪ ଟି ଓ ଛତିଶଗଡରେ ମାତ୍ର ୪୫ ଟି ଲେଭେଲକ୍ରସିଂ ଅଛି।ଏଣୁ ଏଥିରୁ ପ୍ରମାଣିତ ଯେ ଲେଭେଲକ୍ରସିଂ ଜନିତ ସମସ୍ୟା ଓଡିଶାର ଅଧିକ।କିନ୍ତୁ ଓଡିଶାର ଜନସାଧାରଣ ଓ ନିର୍ବାଚିତ ଲୋକ ପ୍ରତିନିଧି ସେହି ଅନୁଯାୟୀ ବ୍ୟଗ୍ର ନାହାନ୍ତି।ଯଦି ଚିନ୍ତାକରିବା କି ଜନସାଧାରଣ ଅଥବା ନିର୍ବାଚିତ ଲୋକ ପ୍ରତିନିଧି କଣ ଅବା କରିପାରିବେ?ଏହି ପ୍ରସଂଗକୁ ଯିବା ଆଗରୁ ଆମେ ଦେଖିବା କି ଲେଭେଲକ୍ରସିଂ ଉଠାଇଦେଇ ସେଠାରେ ରେଳ ଓଭର ବ୍ରିଜ ନିର୍ମାଣରେ ପ୍ରତିବନ୍ଧକ ଓ ନିୟମ କାନୁନ କଣ ରହିଛି?
ଲେଭେଲ କ୍ରସିଂରେ ରେଳ ଓଭର ବ୍ରିଜ ଅଥବା ରେଳ ଅଣ୍ଡରବ୍ରିଜ ନିର୍ମାଣ ନିମନ୍ତେ ଏକ ବହୁପୁରୁଣା ନିୟମା ବଳୀ ରେଳବିଭାଗରେ ରହିଛି। ତଦନୁଯାୟୀ ଟ୍ରେନ ଭେଇକିଲ ୟୁନିଟସ ଯେତେବେଳେ ୧ଲକ୍ଷ ଟପିବ କିମ୍ବା ଲେଭେଲକ୍ରସିଂ ଫାଟକ ୨୪ ଘଣ୍ଟା ମଧ୍ୟରେ ୧୨ଥର କିମ୍ବା ତଦୁର୍ଦ୍ଧ ବନ୍ଦରହିବାକୁପଡିବ ସେତେବେଳେ ସେଠାରେ ଓଭରବ୍ରିଜ କିମ୍ବା ଅଣ୍ଡରବ୍ରିଜ ନିର୍ମାଣ ନିମନ୍ତେ ଆବଶ୍ୟକତା ଦେଖାଦେବ।ତେବେ T.V.U ବା ଟ୍ରେନ ଭେଇକିଲ ୟୁନିଟ କିଭଳି ସ୍ଥିର କରାଯାଏ?ସେହି ରେଳପଥ ଦେଇ ଯାଉଥିବା ମୋଟ ଟ୍ରେନର ସଂଖ୍ୟା ଗୁଣନ ସେହି ଲେଭେଲ କ୍ରସିଂ ଦେଇ ଯାଉଥିବା ଯାନବାହନର ସଂଖ୍ୟା।ଅନ୍ୟ ବିକଳ୍ପଟି ହେଉଛି କି ଯେତେବେଳେ ସ୍ଥାନୀୟ ବିଧାୟକ ଓ ସାଂସଦ ଆଗ୍ରହ ପ୍ରକାଶ କରନ୍ତି ଓ ରାଜ୍ୟସରକାରକଂ ଠାରୁ ଏକ ଚୁକ୍ତିନାମା ଆଣିବାରେ ସକ୍ଷମ ହୁଅନ୍ତି ଯେ ରାଜ୍ୟସରକାର ୫୦% ଖର୍ଚ୍ଚବହନ କରିବେ ଓ ଆବଶ୍ୟକୀୟ ନିର୍ମାଣ ନିମନ୍ତେ ଜମି ଯୋଗାଇବେ ତେବେଯାଇ ଏହି ନିର୍ମାଣ ହୋଇପାରିବ।ମାତ୍ର ନିମ୍ନ କ୍ଷମତା ସଂପନ୍ନ ରେଳ ଲାଇନ ଗୁଡିକରେ ରେଳବିଭାଗ ଉକ୍ତ ନିର୍ମାଣ ନିମନ୍ତେ ଆଗ୍ରହ ଦେଖାଇ ନ ଥାଏ ଫଳରେ ରାଜ୍ୟକୁ ୧୦୦% ଖର୍ଚ୍ଚ ବହନ କରିବାକୁ ପଡିଥାଏ ।
ମାତ୍ର ଏଭଳି ଏକ ଗୁରୁତ୍ୱପୂର୍ଣ ଜନସ୍ୱାର୍ଥ ସମ୍ବଳିତ ପ୍ରସଂଗରେ ଆମ ରାଜ୍ୟର କେତେଜଣ ସାଂସଦ, ବିଧାୟକ ଏମିତିକି ଆମରାଇଜ ମୁଖିଆ ସଚେତନ ଅଛନ୍ତି ?କେତେଥର ବିଧାନ ସଭା ଓ ସଂସଦରେ ଏଥିନେଇ ପ୍ରଶ୍ନ ଉଠିଛି କି ?ସବୁଠୁ କୌତୁହଳର ବିଷୟ ଯେ ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟକୁ ଏଯାଏ ରେଳଯୋଗାଯୋଗ ବ୍ୟବସ୍ଥା ନାହିଁ।ଅଥଚ କେନ୍ଦ୍ରସରକାରକଂ ଅଧୀନସ୍ଥ ପାରାଦ୍ୱୀପ ବନ୍ଦରଟି ଅଧିକାଂଶ ଭାବେ ପଣ୍ୟବାହୀ ବନ୍ଦର।ଏଠାକୁ ରେଳ ଯୋଗାଯୋଗ ଦ୍ୱାରା କେନ୍ଦ୍ର ଅଧିକ ରାଜସ୍ୱ ପାଇଥାଏ । ମାତ୍ର ରେଳରାସ୍ତାରେ ପଡୁଥିବା ପ୍ରାୟ ୧୩ଟି ଲେଭେଲ କ୍ରସିଂ ଉପରେ ଉକ୍ତ ଓଭରବ୍ରିଜ ନିର୍ମାଣ ନିମନ୍ତେ ସାଂସଦ ନା ବିଧାୟକ ଥରଟିଏ କେବେ ପାଟି ଖୋଲିଲେଣି ?ନା ସାଧାରଣ ଜନତା କେବେ ଆନ୍ଦୋଳନକୁ ଓହ୍ଲାଇଲେଣି?କଥାରେ ଅଛି ଛୁଆ ନ କାନ୍ଦିଲେ ମା କ୍ଷୀର ବି ଦିଏନି ଅଥଚ ଆମ ମାନ୍ୟବର ସାଂସଦ ଓ ବିଧାୟକ ଗଣ ଯଦି କଥାରେ ଅଛି “ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ ?” ନିତୀ ଧରିବେ,ସେମିତି ନିର୍ବାଚନ ପରେ ନିର୍ବାଚନ ଚାଲିଥିବ, ଆମେ କେବଳ ଦଳୀୟ ପତାକା ଓ ଚିହ୍ନ ଧରି ବୁଲୁଥିବା ।