ଶହିଦ୍ ସଲାମ….
ଅଗଷ୍ଟ କ୍ରାନ୍ତି ଉପଲକ୍ଷେ
ଝଣ୍ଡା ଉଚ୍ଚାଁ ରହେ ହମାରା
ଶହୀଦ ସଲାମ…… ବୀର ଯବାନ୍
ପାକିସ୍ଥାନ ପଟୁ ବିଭିନ୍ନ ଉପାୟରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇ ଭାରତମାଟିରେ ଅସ୍ଥିରତା ଲଗାଇ ରଖିବା ପାଇଁ ପାକ୍ ର ଉଦ୍ଦେଶ୍ୟ ଓ ଲଗାତର ଉଦ୍ୟମକୁ ଭିନ୍ନ ଭିନ୍ନ ସମୟରେ ଭାରତୀୟ ଜବାନ୍ମାନେ ପଣ୍ଡ କରିଛନ୍ତି । ଏଥିନେଇ ପାକିସ୍ଥାନ ଯେତେ ଛଳ, ବଳ ,କୌଶଳ ପ୍ରୟୋଗ କରୁଥିବାକୁ ଅସ୍ବୀକାର କଲେ ବି ତାହା କଦାପି ଗ୍ରହଣୀୟ ନୁହେଁ । ପ୍ରତିଦିନ ଏମିତି ସୀମାନ୍ତରେ ଗୁଳି ଫୁଟୁଛି । ଅଘୋଷିତ ଯୁଦ୍ଧ ଚାଲୁରହିଛି । ବିଶେଷତଃ ଜାତୀୟ ଦିବସ, ଉତ୍ସବାନୁଷ୍ଠାନର ଅବ୍ୟବହିତ ପୂର୍ବରୁ ଏହି ଅନୁପ୍ରବେଶ ଅଧିକ ସଂଖ୍ୟାରେ ହେଉଥିବା ଜଣାଯାଇଛି । ଏହାକୁ ରୋକିବାକୁ ସୀମାନ୍ତରେ ଅତି ସମ୍ବେଦନଶୀଳ ସ୍ଥାନରେ ତାରବାଡ଼ମାନ ଲଗାଯାଇଛି । ଏହି ତାରବାଡ଼ ନିକଟରେ ସେନାବାହିନୀ ଓ ସୀମା ସୁରକ୍ଷାବଳ ତରଫରୁ ଦିନରାତି ୨୪ ଘଣ୍ଟିଆ ପ୍ରହରା ବି ଜାରି ରହିଛି । ତଥାପି ଅନୁପ୍ରବେଶ ଓ ଉଗ୍ରବାଦକୁ ସଂପୂର୍ଣ୍ଣ ରୋକାଯାଇପାରି ନାହିିଁ । ସୀମା ଆରପଟୁ ଆତଙ୍କବାଦୀ, ତାଲିବାନ୍ ସନ୍ତ୍ରାସବାଦୀଙ୍କ ଅନୁପ୍ରବେଶକୁ ରୋକିବାକୁ କେତେବେଳେ ସୀମାନ୍ତରେ ଏମିତି ଅଘୋଷିତ ଲଢେ଼ଇରେ ଭାରତୀୟ ସେନାବାହିନୀର କେତେ ଯେ ଯବାନ୍ ପ୍ରାଣବଳି ଦେଲେଣି ଓ ଦେଶମାତୃକା ସେବାରେ ଶହୀଦ ହେଲେଣି ତାହା କଳନା କରିବା ସମ୍ଭବ ନୁହେଁ । କେତେବେଳେ ଦୁର୍ଦ୍ଦାନ୍ତ ଉଗ୍ରପନ୍ଥୀଙ୍କୁ ବି ମୃତାହତ ହେବାକୁ ପଡ଼ିଛି । ଏମିତି ଏକ ଭୟାନକ ଲଢେ଼ଇରେ ମୁହାଁମୁହିଁ ମୃତୁ୍ୟକୁ ସାମ୍ନା କରି ଶହୀଦ ହୋଇଥିବା କଟକ ଜିଲ୍ଲା, କଣ୍ଟାପଡ଼ା ବ୍ଲକ ଓ ଗୋବିନ୍ଦପୁର ଥାନାନ୍ତର୍ଗତ ସାନପାଟସୁନ୍ଦରପୁର ଡ଼ିହସାହିର ତପନ ରାଉତରାୟ ଓରଫ ନୃସିଂହ ଚରଣ ରାଉତରାୟଙ୍କ ପ୍ରତି ସ୍ବତନ୍ତ୍ର ପ୍ରତିବେଦନ ।
ସାନପାଟସୁନ୍ଦରପୁର ଡ଼ିହସାହିର ବସନ୍ତ ରାଉତରାୟ ଓ ମଞ୍ଜୁଲତା ରାଉତରାୟଙ୍କ ସାନ ପୁଅ ନୃସିଂହ ଓରଫ ତପନ । ଜନ୍ମ ୨୭.୫.୧୯୮୧ । ବ୍ରାହ୍ମଣସାଇଲୋ ହାଇସ୍କୁଲରୁ ୧୯୯୬ ରେ ମାଟି୍ରକ୍ ଓ ୨୦୦୦ ରେ ୟୁ.ଏନ୍ କଲେଜ ଅଡ଼ଶପୁରରୁ ବାଣିଜ୍ୟରେ ସ୍ନାତକ, ୨୦୦୦ ଜୁଲାଇରେ ରାଞ୍ଚିରେ ମାହାର ରେଜିମେଣ୍ଟ ଅଧୀନରେ ସିପାହୀ ଭାବେ ଯୋଗଦେଇଥିଲେ । ୧୧ ମାସର ତାଲିମ ଶେଷ କରି ୨୦୦୧ ସେପ୍ଟେମ୍ବରରେ ଶ୍ରୀନଗରର ଜାମ୍ମୁ ଠାରେ ୩ବର୍ଷ କାର୍ଯ୍ୟ ପରେ ବଦଳି ହୋଇଥିଲେ ମଧ୍ୟପ୍ରଦେଶ । ୨ବର୍ଷ ପରେ ପୁଣି ହାଇଦ୍ରାବାଦ୍ । ୬ ମାସ ପରେ ପୁଣି ଜାମ୍ମୁ । ଏମିତି ଏମିତି ଫେବୃୟାରୀ ୨୦୦୭ ରୁ ଉଚ୍ଚ ଦରମାରେ ୨୬ ମାସ ପାଇଁ ଭୂଟାନ ସରକାରଙ୍କ ଅଧୀନରେ ଅବସ୍ଥାପିତ ହୋଇଥିଲେ । ଗତ ୨୭.୨.୨୦୦୯ ରେ ଭୂଟାନରୁ ଫେରି ନିଜ ଗାଁକୁ ଫେରି ଘରେ ୧ମାସ ଛୁଟି କଟାଇଥିଲେ । ଛୁଟି ଶେଷ କରି ୨୯.୩.୨୦୦୯ ଜାମ୍ମୁର କୁପ୍ୱାଡ଼ା ଜିଲାନ୍ତର୍ଗତ ପୁଞ୍ଚ ସେକ୍ଟରରେ ଯୋଗ ଦେଇଥିଲେ । କିଛିଦିନ ତଳେ ତାଙ୍କର ବଦଳି ମଧ୍ୟ ହୋଇସାରିଥିଲା ରାଜସ୍ଥାନର ବିକାନିରକୁ । କେବଳ ଅଗଷ୍ଟ ୧୫ ସ୍ବାଧୀନତା ଦିବସ ପୂର୍ବରୁ ଆତଙ୍କବାଦୀଙ୍କ ଝମେଲାକୁ ଅନୁମାନ କରି ତାଙ୍କୁ ରିଲିଭ୍ କରାଯାଇ ନ ଥିଲା । ଶେଷଥର ପାଇଁ ଘରକୁ ଆସିଥିବା ବେଳେ ତପନ ନିଜ ଡ଼ୁ୍ୟଟି ସଂପର୍କରେ ସେଦିନ ବୁଝାଇବାକୁ ଯାଇ ନିଜର ଆପଣାର ଲୋକମାନଙ୍କୁ ଯାହା କହିଥିଲେ:- “ଆଗରୁ ଲାଇନ୍ ଅଫ୍ କଣ୍ଟ୍ରୋଲ ବା ନିୟନ୍ତ୍ରଣ ରେଖାରେ ସୁରକ୍ଷା ଦାୟିତ୍ୱ ସୀମା ସୁରକ୍ଷାବଳ ଉପରେ ନ୍ୟସ୍ତ ଥିଲା । ଏହି ସୀମା ସୁରକ୍ଷାବଳ ସୀମା ନିକଟରେ ଥିବା ବାସିନ୍ଦାଙ୍କ ସହ ସୀମା ଆରପଟେ ଥିବା ବାସିନ୍ଦାଙ୍କ ପାରିବାରିକ ସଂପର୍କ ହେତୁ ଟୋକନ୍ ସିଷ୍ଟମରେ ପରିଚୟପତ୍ର ଯାଞ୍ଚ କରି ସୀମିତ ସମୟ ପାଇଁ ସଦସ୍ୟମାନଙ୍କୁ ଛାଡ଼ୁଥିବା ବେଳେ ପାକିସ୍ଥାନର ମୁଶାରଫ ସରକାରଙ୍କ ସମୟରେ ଉଗ୍ରବାଦୀଙ୍କ ଅନୁପ୍ରବେଶ ଘଟଣାରେ ସୀମା ସୁରକ୍ଷାବଳର ସ୍ବଚ୍ଛତା ଉପରେ ଏକ ବିରାଟ ପ୍ରଶ୍ନଚିହ୍ନ ଲାଗିଯାଇଥିଲା । ଫଳରେ ଭାରତ ସରକାର ଏହି ମୁଖ୍ୟ ଦାୟିତ୍ୱ ସେନାବାହିନୀ ହାତରେ ଅର୍ପଣ କରିଥିଲେ । ଏଣୁ ପ୍ରତି ୫ଜଣ ଆର୍ମି ଜବାନଙ୍କ ସହ ଜଣେ ସୀମା ସୁରକ୍ଷା କର୍ମଚାରୀଙ୍କୁ ମିଶାଇ ଏହି ଦାୟିତ୍ୱ ତୁଲାଇବାକୁ ଦିଆଯାଇଥିଲା ।
କୁପ୍ୱାଡ଼ା ଜିଲା ପୁଞ୍ଚ ସେକ୍ଟରର ଭାରତ-ପାକିସ୍ଥାନ ନିୟନ୍ତ୍ରଣ ରେଖାରେ ଦିଆଯାଇଥିବା ତାରବାଡ଼ରୁ କିଛି ଅଂଶ ପ୍ରାୟ ୨ଫୁଟ୍ ଙ୍ଘ ୩ ଫୁଟ୍ ରେ ଜଣେ ଗଳି ଆସିବା ଭଳି କଟାଯାଇଥିବା ଖବର ପହଞ୍ଚିଥିଲା ସେଦିନ ସେନା ଶିବିରରେ । ଏହି ଜବାନ୍ମାନେ ମାହାର ରେଜିମେଣ୍ଟ ଅନ୍ତର୍ଗତ ଓ ଅତି ଦୁର୍ଦ୍ଧଷ ଶ୍ରେଣୀର ବୋଲି ଭାରତୀୟ ସେନାବାହିନୀରେ ବିବେଚନା କରାଯାଇଥାଏ । ଏହି ୟୁନିଟ୍ରେ ୪ଜଣ ଲେଫ୍ଟନାଣ୍ଟ କର୍ଣ୍ଣେଲ (ଜେ.ସି.ଓ ର୍ୟାଙ୍କ୍ ) ଓ ୧୬ଜଣ ସୈନିକଙ୍କୁ ମିଶାଇ ମୋଟ୍ ୨୦ ଜଣ ଥିଲେ । ଏମାନେ ମାଟିରୁ ୮୦୦ ମିଟର ଉଚ୍ଚତାରେ ଥିବା ପାହାଡ଼ ଉପର ବଙ୍କର ମଧ୍ୟରେ ଥିଲେ । ତାରବାଡ଼ କଟାଯାଇଥିବା ଖବର ଭାରତୀୟ ଜବାନ୍ଙ୍କ ପାଇଁ ଅର୍ଥ ହେଲା ଏ ବାଟ ଦେଇ କିଛି ଦୁର୍ଦ୍ଦାନ୍ତ ଉଗ୍ରପନ୍ଥୀ ଭାରତ ସୀମାର ଜାମ୍ମୁ ଭିତରକୁ ଅନୁପ୍ରବେଶ କରିଛନ୍ତି । ଖବର ପାଇ ତତ୍କ୍ଷଣାତ୍ ସୈନିକମାନେ ସଜାଗ ହୋଇଗଲେ । ଯଥାଶୀଘ୍ର ଏମାନେ ୫ଜଣିଆ ଦଳରେ ବିଭକ୍ତ ହୋଇଗଲେ । ପ୍ରତିଦଳରେ ୪ ସୈନିକ, ଜଣେ କର୍ଣ୍ଣେଲ ଥିଲେ । ସେହିବାଟ ଦେଇ କେତେଜଣ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି ? ସେମାନେ କେଉଁ ଆଡ଼କୁ ଯାଇଛନ୍ତି କେବଳ ଅନ୍ଦାଜ୍ ଛଡ଼ା ଘଞ୍ଚ ଜଙ୍ଗଲ ଭିତରେ ଅନ୍ୟ କିଛି ଜାଣିବାର ବି ଉପାୟ ନ ଥିଲା । ଜବାନ୍ମାନେ ଅନୁମାନ କଲେ ଯେ, ଯେଉଁ ସ୍ଥାନରେ ଏହି ତାରବାଡ଼ କଟାଯାଇଛି ତାହା ସେମାନଙ୍କ ଡୁ୍ୟଟିର ୨୪ଘଣ୍ଟାରୁ ଉଦ୍ଧ୍ୱର୍ ହୋଇଗଲାଣି । ତେଣୁ ଅନୁପ୍ରବେଶକାରୀ ଉଗ୍ରବାଦୀମାନେ ଯେତିକି ପଥ ଅତିକ୍ରାନ୍ତ କରିଥିବେ ତାହା ବଙ୍କରର ଖୁବ୍ ପାଖାପାଖି ହୋଇଥିବ ଅଥବା ସନ୍ନିକଟରେ କେଉଁଠି ହେଲେ ଛପି ରହିଥିବେ । ଏହି କଥାରେ ସେନା ଦୃଢ଼ ନିଶ୍ଚିତ ହୋଇସାରିଥିଲା । ତେଣୁ ଛପି ରହି ପ୍ରତୀକ୍ଷା କରିବା ଅପେକ୍ଷା ୯ ତାରିଖ ଅପରାହ୍ନ ୩ଟାରୁ ସେମାନେ ଉଗ୍ରବାଦୀଙ୍କୁ ଅତି ସତର୍କତାର ସହ ଛପିଛପି ଖୋଜିବା ଆରମ୍ଭ କଲେ । ବଙ୍କର ନିକଟରେ ଲେପ୍ଟେଇ ପଡ଼ି ସେମାନେ ସତର୍କତାର ସହିତ ଲକ୍ଷ୍ୟ କଲାବେଳେ ଯବାନ୍ ତପନଙ୍କ ବଙ୍କର ଆଗ ଦେଇ ଜଣେ ସନ୍ତ୍ରାସବାଦୀ ପାଶ୍ କରୁଥିବା ସେ ଦେଖିବାକୁ ପାଇଲେ । ଆଉ କାଳବିଳମ୍ବ ନକରି ପ୍ରାୟ ସାଢେ ୬ଫୁଟରୁ ଉଚ୍ଚ ଏହି ଆତଙ୍କବାଦୀକୁ ସେ ଫାୟାର୍ କଲେ । ସେ ଦେଖିବାକୁ ସୁଯୋଗ ପାଇନଥିଲେ ଯେ ତା ପଛରେ ସେମାନଙ୍କର ଏକ ଲମ୍ବାଧାଡ଼ି ଲାଗିଥିଲା ଓ ସଂଖ୍ୟାରେ ସେମାନେ ଅଧିକ ଥିଲେ । ତପନଙ୍କ ଆଖି ସାମ୍ନାରେ ଯାଉଥିବା ଉଗ୍ରପନ୍ଥୀଟିକୁ ଦେଖି ତପନ ଭାବିଥିଲେ ଯେ ସେଇଟି ବୋଧହୁଏ ପ୍ରଥମ ଓ ଶେଷ । ଲଗାତର ଫାୟାରିଂରେ ୨ଜଣ ସନ୍ତ୍ରାସବାଦୀ ସେଇଠି ଟଳିପଡ଼ିଲେ ହେଁ ଆଗକୁ ଚାଲିଥିବା ସେମାନଙ୍କ ଧାଡ଼ି ଫାୟାରିଂ ଶବ୍ଦ ଶୁଣି ହଠାତ୍ ପ୍ରତିଆକ୍ରମଣ ପାଇଁ ପଛକୁ ବୁଲିପଡ଼ିଲେ । ବୋଧହୁଏ ସେମାନେ ବି ପୂର୍ଣ୍ଣପ୍ରସ୍ତୁତ ହୋଇସାରିଥିଲେ । ସେମାନଙ୍କ ପାଲଟା ଫାୟାରିଂ ର ପ୍ରଥମ ଗୁଳି ତପନଙ୍କ ବାମ ଗୋଡ଼ ଗୋଇଠି ଭେଦ କଲା । ସେତେବେଳକୁ ତପନ ନିରାପଦ ସ୍ଥାନରୁ ଫାୟାରିଂ କରିବାକୁ ବୁଲି ପଡ଼ିଥିଲେ । ଏତିକି ବେଳେ ୨ୟ ଗୁଳି ତାଙ୍କ ଦକ୍ଷିଣପାଶ୍ୱର୍ ଜଙ୍ଘ ଭେଦ କଲା । ତୃତୀୟ ଗୁଳି ଦକ୍ଷିଣପାଶ୍ୱର୍ କମର ଉପରକୁ ବାଜିବା ପରେ ସେ ସେଇଠି ହିଁ ଟଳିପଡ଼ିଲେ । ସାେଙ୍ଗସାେଙ୍ଗ ଗ୍ରୁପ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ସନ୍ତ୍ରାସବାଦୀଙ୍କ ସାମ୍ନା କଲେ । ପ୍ରଥମ ଗୁଳିଟି ହିଁ ତାଙ୍କ ଛାତିର ବୁଲେଟ୍ ପ୍ରୁଫ୍ ବାହାରେ ବାଜିବାରୁ ସେ ସେଇଠି ଟଳିପଡ଼ିଲେ । ପରେ ପରେ ଗୋଟିଏ ଗୁଳି ଅନ୍ୟ ଜଣେ ଜବାନଙ୍କ ବାମ ହାତରେ ବାଜିବାରୁ ହାତଟି ଛିଡ଼ି ଝୁଲିପଡ଼ିଲା । ଅଗତ୍ୟା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବ୍ୟାଗ୍ ଓ ବନ୍ଧୁକ ଛାଡ଼ି ଛିଡ଼ିପଡ଼ିଥିବା ହାତକୁ ଚାପିଧରି ସେ ପାହାଡ଼ ଶିଖରରୁ ଗଡ଼ି ଗଡ଼ି, ଗୁରୁଣ୍ଡି, ଘୁଷୁରି ଅପରାହ୍ନ ୪ଟାରୁ ରାତି୍ରସାରା, ଜୀବନ ମରଣ ସଂଘର୍ଷ ପରେ ପୁଣି ୧୦ ତାରିଖ ପ୍ରତୁ୍ୟଷରେ ସେନା ଶିବିରର ବେସ୍ ଷ୍ଟେସନରେ ପହଞ୍ଚି ଯାଇଥିଲେ ଓ ଏସମ୍ପର୍କରେ ଖବର ଦେଲେ । ଫଳରେ ୯ ତାରିଖରେ ତପନ ଶହୀଦ ହୋଇଥିବା ଓ ଲଢେ଼ଇ ତଥାପି ଜାରି ରହିଥିବା ଜଣାପଡ଼ିଥିଲା । ଅନ୍ୟ ଜଣେ ସାଥୀ ନିଖୋଜ ଥିବା ବି ଜଣାପଡ଼ିଲା । ତପନ ଶହୀଦ ହେବା ଖବର ତାଙ୍କ ଘରକୁ ଦିଆଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ଶ୍ରୀନଗର ସ୍ଥିତ ସେନା ହେଡ୍ କ୍ୱାର୍ଟରରୁ ଇଣ୍ଡିଆନ୍ ଏୟାର ଲାଇନ୍ସ୍ ବିମାନରେ ଦିଲ୍ଲୀ ଦେଇ ଭୁବନେଶ୍ୱର ଅଣାଯାଇଥିଲା । ଶହୀଦ ତପନଙ୍କ ମର ଶରୀରକୁ ୧୨ ତାରିଖ ଅପରାହ୍ନ ପ୍ରାୟ ୨.୩୦ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗାଡ ଅଫ୍ ଅନର ଦେବା ପରେ ତାଙ୍କ ପରିବାରଙ୍କ ସହ ସେନା ଅଧିକାରୀ ସିନ୍ଧେ ସାହେବ ଶହୀଦଙ୍କ ନିଜ ଗାଁ ଗୋବିନ୍ଦପୁର ଥାନା, କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ସାନପାଟସୁନ୍ଦରପୁର ଡ଼ିହସାହିରେ ପହଞ୍ଚିଥିଲେ । ବିଶାଳ ଜନତା, ଆଖିଭର୍ତ୍ତି ଲୁହ, ଶହୀଦ ତପନ ରାଉତରାୟ ଅମର ରହେ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେଉଥିଲା । ମାଆ, ବାପା, ଭାଇ, ଭଉଣୀ, ଦାଦା ତଥା ପି୍ରୟ ପରିଜନ, ସାଙ୍ଗସାଥୀ, ଉପସ୍ଥିତ ଅଞ୍ଚଳବାସୀଙ୍କ ଆଖିରେ ଲୁହର ଧାର ଛୁଟୁଥିଲା । ଏଇଥିପାଇଁ ଯେ, ଅମର ଶହୀଦ ‘ତପନ’ ଜଣେ ଅତି ବନ୍ଧୁବତ୍ସଳ, ଅବିବାହିତ ଯୁବକ ଥିଲେ । ବାହାଘରର ସମସ୍ତ ଆୟୋଜନ ସରିଥିଲା । ମାତ୍ର ଆଉ ତିଥି ନ ଥିବା ଓ ଘର କାମ ସରି ନ ଥିବା ବେଳେ ଛୁଟି ମଧ୍ୟ ସରିଆସିଥିଲା । ପୁଞ୍ଚ୍ରୁ ଟେଲିଫୋନ୍ରେ ବଡ଼ ଭାଇ, ବାପା, ବୋଉଙ୍କୁ କହିଥିଲେ ଯେ ତାଙ୍କର ରାଜସ୍ଥାନ ବଦଳି ହୋଇଯାଇଛି । ତାଙ୍କ ଲଗେଜ, ବକ୍ସ, ବେଡ଼ିଙ୍ଗ ଆଦି ରାଜସ୍ଥାନର ବିକାନିରକୁ ଚାଲିଗଲାଣି । ତେଣୁ ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅଛି ତ ତେଣୁ ସନ୍ତ୍ରାସବାଦୀଙ୍କ ହାମଲା ଅାଶଙ୍କାରେ ତାଙ୍କୁ କିଛି ସମୟ ଆଉ ଏଠାରେ ରହିବାକୁ କୁହାଯାଇଛି । ଅଗଷ୍ଟ ୨୬ ରେ ସେ ବିକାନିର ଯିବା ବାଟରୁ ନଚେତ୍ ସେଠାରେ ପହଞ୍ଚିବା ପରେ ସେପ୍ଟେମ୍ବର ୫/୬ ସୁଦ୍ଧା ୨ ମାସ ପାଇଁ ଛୁଟିରେ ଯିବେ । ବାହାଘର ସରିଲେ ଫେରିଥାନ୍ତେ । ହେଲେ କଥା, କଥାରେ ରହିଗଲା । ସାନଭଉଣୀ କାନ୍ଦୁଛି ଭାଇ ବାହାଘର ଦେଖିପାରିଲା ନାହିଁ । ସେ ସବୁବେଳେ ଘରକୁ ଆସିଲେ ସନ୍ତ୍ରାସବାଦୀ ପଠାଇ ପାକିସ୍ଥାନ କେମିତି ଅଯଥା ଝମେଲା କରୁଛି, ସେ କଦାପି ସେମାନଙ୍କୁ ଛାଡ଼ିବେ ନାହିଁ, ଯୁଦ୍ଧ କରି କରି ଏମିତି ଆଗକୁ ଯିବେ କହୁଥିଲେ । । ତାଙ୍କ ଅବର୍ତ୍ତମାନରେ ଓ ଶହୀଦ ହେବାରେ ସେ ଲକ୍ଷ୍ୟ କିଞ୍ଚିତ ଊଣାପଡ଼ିବ ସିନା ତାଙ୍କ ସ୍ବପ୍ନର ଅଖଣ୍ଡ ଭାରତ ଅଖଣ୍ଡ ହୋଇ ରହିଛି, ଆଗକୁ ରହିବ ମଧ୍ୟ । ତାଙ୍କ ପ୍ରାଣବଳି କେବେ ବ୍ୟର୍ଥ ଯିବ ନାହିଁ । ସଂଯୋଗବଶତଃ ଏହି ଯବାନ୍ଜଣଙ୍କ ଅଗଷ୍ଟ ୯, କ୍ରାନ୍ତି ଦିବସରେ ହିଁ ଶହୀଦ ହୋଇଛନ୍ତି ।





