
ରାସ୍ତା ଅବରୋଧରେ ଲକ୍ଷ ଲକ୍ଷ ଟଙ୍କାର ବେପାର!ଜି.ଏସ.ଟି ନାହିଁ କି ଥାନା ପୁଲିସର କଟକଣା ବି ଅଦୃଶ୍ୟ?


କଣ୍ଟାପଡ଼ା,୦୮/୪(ନି.ପ୍ର) ସରକାରଙ୍କ ଜି.ଏସ.ଟି ଫାଙ୍କି,ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ!ପୁଣି ରାଜପଥକୁ ଘଣ୍ଟା ଘଣ୍ଟା ଧରି ଅବରୋଧ! ଯାତ୍ରୀ,ପଥଚାରୀ,ମେଡିକାଲ ଯାଉଥିବା ରୋଗୀ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ।ହେଲେ ଥାନା ପୁଲିସ ବାବୁ ମାନେ ଯେ ଏ ସବୁ ଜାଣି ନାହାନ୍ତି ସେ କଥା ନୁହେଁ,ବରଂ ପୁଲିସ ବାବୁ ମାନଙ୍କ ଜାଣତରେ,ସୁରକ୍ଷାରେ ଏ ସବୁ ଘଟୁଛି ।ଏଥିପାଇଁ ମୋଟା ଅଙ୍କର ମାସିକିଆ ବଟି ବି ବ୍ୟବସାୟୀ ମାନଙ୍କ ଠାରୁ ଆଦାୟ ହେଉଛି।ନିୟମାନୁଯାୟୀ,ଏପରି ଅପରାଧ ବା ବଦମାସୀ କରୁଥିବା ମାନଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୨୯୦ ଆଧାରରେ ଥାନା ଗୁଡ଼ିକ ମାମଲା ରୁଜୁ କରିବା କଥା। ଦ୍ଵିତୀୟ ଥର ଏପରି ଘଟଣାର ପୁନରା ବୃତ୍ତି ହେଲେ ଉକ୍ତ ଆଇନର ଧାରା ୨୯୧ ରେ ମାମଲା ରୁଜୁ ହେବାକୁ ଆଇନରେ ବ୍ୟବସ୍ଥା ରହିଛି।ହେଲେ ଥାନା ପୁଲିସ ବାବୁମାନେ ନିଜେ ଆଇନ ଭଙ୍ଗକାରୀଙ୍କୁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଦେଇ ବେଶ ମୁନାଫା ହାସଲ କରୁଛନ୍ତି।ଅଡଶପୁର,ନିଆଳି,ଫୁଲନଖରା ଆଦି ଅଞ୍ଚଳରେ କେତେକ ଯାନ ଡିଲର ବେଶ ମୋଟା ଅଙ୍କ ଯେ କେବଳ ପୁଲିସ କୁ ଦେଉଥିବାର ଅଭିଯୋଗ ହେଉଛି,ତାହା ନୁହେଁ ବରଂ ଏହି ଖବର ଗଣ ମାଧ୍ୟମରେ ପ୍ରକାଶ ନ କରିବାକୁ କେତେକ ଗଣ ମାଧ୍ୟମ ପ୍ରତିନିଧି ବି ବେଶ ମୋଟା ଅଙ୍କର ହାତ ଚିକ୍କଣରେ ବର୍ଷ ବର୍ଷ ଧରି ଅଭ୍ୟସ୍ତ।ଜାତୀୟ ରାଜପଥ ପାର୍ଶ୍ଵସ୍ଥ କେତେକ ଯାନ ଡିଲର କମିସନରେଟ ପୁଲିସର କେତେକ ବାବୁଙ୍କୁ ପ୍ରତି ମାସରେ ,ବର୍ଷରେ ଲକ୍ଷ ଲକ୍ଷ ଟଙ୍କା ଚାନ୍ଦା ଆକାରରେ ଦେଉଛନ୍ତି।ତେଣିକି ରାସ୍ତା ଅବରୋଧରେ,ଦୁର୍ଘଟଣାରେ,ଯାତ୍ରୀ/,ପଥଚାରୀ ମରନ୍ତୁ ପଛକେ, ସଡ଼କ ସୁରକ୍ଷାର ନିୟମ କାଗଜ ପତ୍ରରେ ଜାରୀ ରହିଥାଏ।ଏ ସବୁ ଏତେ ସୁସଂହତ,ସୂସଂଗଠିତ ଓ ଖୋଲାମେଲା ରେ ଚାଲିଥାଏ ଯେ ସବୁକଥା ସମସ୍ତେ ଜାଣି ବି ଏହି ଓପନ ସିକ୍ରେଟ ରେ କେହି ମୁହଁ ଖୋଲି ନ ଥାଆନ୍ତି।ଏହି ସମସ୍ୟା ଓଡ଼ିଶାର ଜନଗହଳିପୂର୍ଣ୍ଣ ଉପକୂଳ ଜିଲ୍ଲାରେ ଅଧିକ ଦେଖିବାକୁ ମିଳୁଛି।ଯେଉଁଠି ଥାନାର ବଡ଼ବାବୁ ମାନେ ଏପରି ରାସ୍ତାରେ ପରିଚାଳିତ ସେଠାରେ ଜଗୁଆଳୀ ଦାୟିତ୍ବ ତୁଲାଉ ଥିବା ସାଧାରଣ ହୋମଗାର୍ଡ ଟିଏ କେତେ ନିରୁପାୟ,ନାଚାର,ଅସହାୟ ତାହା ସାଧାରଣ ଜନତା ଅବା ବୁଝିବେ କିପରି?ଗୋବିନ୍ଦପୁର ଥାନାର ଚଉପଡ଼ା ବଜାର,ବଡପାଟସୁନ୍ଦରପୁର- ଭୋଦଳ ଓମଫେଡ ଛକ, ସମେତ ଅନେକାନେକ ସ୍ଥାନରେ ପ୍ରତ୍ୟେହ ଜନସାଧାରଣ ଏମିତି ବ୍ୟବସାୟୀ ମାନଙ୍କ ଦୌରାତ୍ମ୍ୟରେ ଅତିଷ୍ଠ । ହେଲେ 5T ସରକାରଙ୍କ ଦୃଷ୍ଟିକୁ ଏସବୁ ଆସୁନାହଁ।କଥାରେ ଅଛି ବାଇୟାର କି ଯାଏ ନା ବା କଲେ ବସା ଦୋହଲୁ ଥାଏ।ସେହିପରି ସମୁଦ୍ର ଲହଡ଼ି ଗଣି ପଇସା ନେବା ଉପାଖ୍ୟାନ ପରି ସରକାର ଜି ଏସ ଟି ପଇସା ଆରାମରେ ପାଇଯାଉଥିବାରୁ ଓ କେନ୍ଦ୍ର ରାଜ୍ୟ ଭାଗ ବଣ୍ଟରା ଯୋଗୁ ବିପୁଳ ଜି ଏସ ଟି ଟିକସ ବ୍ୟବସାୟୀ ମାନେ ଲୁଟି ନେଇଥିଲେ ବି ଏହି ମଧି ଚନ୍ଦ୍ରିକାରେ ସାମିଲ କର ବାବୁ ମାନେ ବି ବେଶ ମାଲାମାଲ୍ ଅଥଚ ସରକାର ଜାଣି ଛୋପରା ପରି ରହି ଛନ୍ତି।ଆଗରୁ ବାଣିଜ୍ୟ କର ବିଭାଗ ଅଧୀନରେ ଏକ ଗୁପ୍ତ ବାର୍ତ୍ତା ବିଭାଗ ରହିଥିଲା।କର ମାରୁଥିବା ଅସାଧୁ ବେପାରୀଙ୍କୁ ଏମାନେ ଗୋଡେଇ ଗୋଡେଇ ଧରୁଥିଲେ।ସରକାର ଜି ଏସ ଟି ଧାର୍ଯ୍ୟ ସୀମା ୪୦ ଲକ୍ଷ ଟଙ୍କା ବର୍ଷକୁ ବୃଦ୍ଧି କରିବା ପରେ ସବୁ ଯେମିତି ସାହାଣ ମେଲା।ସାମଗ୍ରୀ କିଣା ବେଳେ ଗାଡ଼ିରେ ଏକାଧିକ ବିଲ ତିଆରି ହୋଇ ଆସୁଛି।ଏକାଧିକ ଗୁପ୍ତ ଗୋଦାମ ରେ ସେ ସବୁ ସାଇତା ହେଉଛି।ଗ୍ରାହକ ବିଲ ନେଲେ ଅଧିକ ଟିକସ ଦେବାକୁ ପଡ଼ିବ କହି ବିଲ ବାହାରେ ନଗଦ ଟଙ୍କାରେ କାରବାର ହେଉଛି।କଟକ – ଭୁବନେଶ୍ୱର ରାସ୍ତା ପାର୍ଶ୍ଵରେ ଦୋକାନ ଖୋଲିଥିବା ଅଧିକାଂଶ ମାର୍ବଲ ବ୍ୟବସାୟୀ ରାଜ୍ୟ ବାହାରୁ ସାମଗ୍ରୀ ଆଣି ଅଲେଖା ଅଦେଖା କାଳୀ,ବିଲ ନଷ୍ଟ କରିବାକୁ ସ୍ଵତନ୍ତ୍ର ମେସିନ ବ୍ୟବହାର କରୁଛନ୍ତି।ବ୍ୟବସାୟ ପଞ୍ଜିକରଣ ସ୍ଥଳୀ ଗୋଟିଏ ସାମଗ୍ରୀ ବିକ୍ରି ସ୍ଥଳୀ ଅନ୍ୟ ଗୋଟିଏ।କରବାବୁ ମାନେ ଏହି ସୁବିଧା ଦେଇ ଢ଼େର ଲୁଟୁଛନ୍ତି।କଟକ ଓ ଭୁବନେଶ୍ବର ସମେତ ବହୁ ବଡ଼ ବଡ ବ୍ୟବସାୟିକ ପେଣ୍ଠ ସ୍ଥଳୀରେ ଦୈନିକ କୋଟିକୋଟି ଟଙ୍କାର ଟିକସ ଲୁଟ୍ ହେଉଛି ଅଥଚ ସରକାର ତୁଛାକୁ ହାଇ ହାକୁଟି ମାରି ପରିସଂଖ୍ୟାନ ମୂଳକ ତଥ୍ୟରେ ରାଜ୍ୟର ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି।